Unknown

ରାଜସଭା

ବ୍ରଜନାଥ ବଡ଼ଜେନା

 

 

(ରାଗ - ଚୋଖୀ)

 

ଶ୍ରୀପୁରୁଷୋତ୍ତମ କ୍ଷେତ୍ର      ତିନି ଭୁବନ ପବିତ୍ର

ମହିମା ମହା ବିଚିତ୍ର କଥନ ନୋହେ

ସଂପୂର୍ଣ୍ଣ ବ୍ରହ୍ମ ସ୍ୱରୂପ      ସାକ୍ଷାତ ପ୍ରକାଶି ରୂପ

ନାଶୁଛନ୍ତି ପାପୀ ପାପ ହୋଇ ଉଦୟେ

ଚତୁର୍ଦିଗହିଁ ସୁଲଭ

ଯେଉଁ ସ୍ଥାନ ଜନମାନେ ସାକ୍ଷାତ ଦେବ ।୧।

 

ଏହୁ କ୍ଷେତ୍ରର ଉତ୍ତରେ      ଭୀମ ନଗରୀ ନାମରେ

ଅଛଇ ଏକ ନଗର ସଂସାର ସାର

ଗଡ଼ ନାମ ଢେଙ୍କାନାଳ      ଅଛି ପ୍ରସିଦ୍ଧ ଦେଉଳ

ବିଜେ କରିଛନ୍ତି ବଳଭଦ୍ର ଠାକୁର

କଳି କଳ୍ପଦ୍ରୁମ ଗୋସାଇଁ

ଆରତେ ଡ଼ାକିଲେ ନ ଦିଅନ୍ତ ଭସାଇ ।୨।

 

ଯେଉଁ ରାଜ୍ୟେ କପିଳାସ      କ୍ଷେତ୍ର ମହିମା ବିଶେଷ

ଶ୍ରୀ ଚନ୍ଦ୍ରଶେଖର ଦାସବତ୍ସଳ ବାନା

କେମ୍ପା କଣା କୁଜା କୁଢ଼ି      ଅନ୍ଧ ଯେଉଁସ୍ଥାନେ ପଡ଼ି

ସୁଖୀ ହୋଇଛନ୍ତି ଛାଡ଼ି ନାନା ଯାତନା

ଏ ପ୍ରଭୁ ନଥିଲେ ସଂସାରେ

ମିଳାଇ ଯାଆନ୍ତେ ନିଶ୍ଚେ ପାତକୀ ନରେ ।୩।

 

ଏ ପ୍ରଭୁ ଅଂଶେ ଜନମ      ଏ ରାଜ୍ୟ ନୃପତି ନାମ

ଶ୍ରୀ ତ୍ରିଲୋଚନ ଯେ କାମ ରୂପେ ସାକ୍ଷାତ

ରାଜରାଜ ସିଂହ ଜଏ      ଶ୍ରୀଭ୍ରମରବର ରାଏ

ନୃପଗଣ ତାରାକୁ ଏ ଚନ୍ଦ୍ର ଉଦିତ

କି ବର୍ଣ୍ଣିବା ତାଙ୍କ କୀରତି

କହି ବସିଲେ ତ ଆସୁନାହିଁ ଭାରତୀ ।୪।

 

ଯାହାଙ୍କ ବଦନ ଦେଖି      ଯୁବତୀ ଧୃତି ଉପେକ୍ଷି

ବିଚାରନ୍ତି ଅଷ୍ଟଆଖି କି କଲା ଏହା

ଏ ପୁରୁଷ ଦାସୀ କରି      ଜନ୍ମ ଆମ୍ଭଙ୍କୁ ନ କରି

ବିଅର୍ଥେ କଲା ଏ ନାରୀ ଜନମ ଯାହା

କେ ବୋଲଇ କାଶୀରେ ଝାସି

ଥିଲେ ସିନା ସଖି ତାଙ୍କ ଅଙ୍ଗରେ ବସି ।୫।

 

ଚନ୍ଦ୍ର ଚାହିଁ ଚନ୍ଦ୍ର କାନ୍ତ      ମଣି ହୁଅଇ ଯେମନ୍ତ

ତରୁଣୀମାନେ ତେମନ୍ତ ତରଳି ଯାନ୍ତି

କେ ବୋଲଇ ଯାଉ ଜାତି      ହୋଉ ପଛେ ଅକୀରତି

ଏ ପୁରୁଷ ରତ୍ନ କତି ରହନ୍ତି ରାତି

ଏହିରୂପେ ରୂପ ବିଚିତ୍ରେ

ଚିତ୍ରକାର ଚିତ୍ର କରି ନପାରେ ଚିତ୍ରେ ।୬।

 

ବୀର ଶୂରପଣ ଶୁଣି      ଜାଣି କେତେ ନୃପମଣି

ଅସି କରକଶି ପୁଣି ଧଇଲେ ନାହିଁ

ଆସପାଶ ରାଜାମାନେ      ହୁକୁମକୁ ସାବଧାନେ

ଜଗିବାରୁ ତୋଷ ମନେ ଭୁଞ୍ଜନ୍ତି ମହୀ

ତରୁଣ ତରଣି କିରଣ

ତେଜ ତୁଚ୍ଛ କରୁଛି ଯା ପ୍ରତାପ ଟାଣ ।୭।

 

ଚାରିଦିଗେ ଯଶରାଶି      ଶଶି ପ୍ରକାଶେ ବିଦେଶୀ

ନର ଚକୋର ଉଲ୍ଲସି ଅଛନ୍ତି ଧାଇଁ

ଶତଶତ ମୁଦ୍ରାଦାନ       ଛଳରେ ଅମୃତ ପାନ

କରି ହୋଉଛନ୍ତି ପୀନ ପ୍ରବଳ ଦେହୀ

ପୁଣି କୁମୁଦିନୀ ସଂକୁଳ

ଦେଖି ରସେ ଫୁଲି ଉଠିଛନ୍ତି କେବଳ ।୮।

 

ଶୁଣ ହେ ରସିକ ଜନେ      ନୃପମଣି ଏକଦିନେ

ବିଜେ କରିଛନ୍ତି ଖିଲିମତ ଭିତରେ

ଗଜଦନ୍ତ ପଲଙ୍କରେ       ରାଏ ସାହେବ ଅଙ୍କରେ

ଚିତ୍ର କି ଶୋଭା ମୃଗାଙ୍କ ଅଙ୍କଗତରେ

ନନ୍ଦ କୋଳେ କେଶବ କିବା

 

ଦଶରଥ କୋଳେ ଦାଶରଥି ସେ ଅବା ।୯।

କଳ୍ପଲତା କିଏ ଫଳ      ଫଳିଲେ ଆଶ୍ରିତକୁଳ

ମନକାମନା ସକଳ କରିବେ ଦାନ

ସାଗର ଭିତରେ ହୀରା      ରତନ କି ଦିଶେ ତୋରା

ଶିବଗଣପତି ପରା ଆଭା ସେ ମନ

ସୁବର୍ଣ୍ଣ ପ୍ରସାଦ ଭିତରେ

ରତ୍ନସମ ଶୋଭା କିବା ହୋଏ ଚିତ୍ତରେ ।୧୦।

 

କିବା ଏ ଦୁଷ୍କାଳ ଚାହିଁ      ପ୍ରାଣୀ ଆରତ ନ ସହି

କାମଧେନୁ ଦେଲା ବହି ସ୍ୱବଛା କରି

ଗଜରାଜକୁମ୍ଭ ମୋତି-      ବର ଶରଧାରେ ଅତି

ଘେନି ଖେଳୁଛିକି ମହା ମତ୍ତକେଶରୀ

ପଦ୍ମ କୋଳେ ବାଳଭ୍ରମର

ମକରନ୍ଦ ପାନେ କି ପରାଗେ ଗଉର ।୧୧।

 

ଏହିକାଳେ ପଢ଼ିଆରୀ      ଚୋପଦାର ସେ ଦୁଆରୀ

ଖଟଣି ସାମନ୍ତ ବାରି କହି ଭେଟିଲେ

ଖରଡ଼ ଶପ ମସିଣା      ବନାଉତ ନୋହେ ଗଣା

ଶତରଞ୍ଜରେ ବିଛଣା ବିଛାଇ ଦେଲେ

ଛାମୁ ଅନ୍ତଃପୁରି ଯେ ଲୋକେ

ପହିଲେ ଭେଟିଲେ ନିଯୋଗର ସେବକେ ।୧୨।

 

ହୁକାବରଦାର ଆଣି       ହୁକାରେ ପୂରାଇ ପାଣି

ଚିଲମେ ଗୁଡ଼ାଖୁଭରି ଗୁଳା ଜମାଇ

ସୁନା ସରପୋଷ ଢ଼ାଙ୍କି      ଥାଳି ଏଣ୍ତୁଆରେ ରଖି

ଜରି ଚେନା ନଳ ଦେଲା ଶ୍ରୀହସ୍ତେ ନେଇ

ବିଡ଼ିଆ ବଡ଼ାକୁ ବ୍ରାହ୍ମଣେ

ଶ୍ରୀକରେ ଦିଅନ୍ତି ଉଭା ହୋଇ ଦକ୍ଷିଣେ ।୧୩।

 

ଅତି ଚତୁର ଦୁଆରୀ       ଭୃଭଙ୍ଗୀରୁ ଜାଣିପାରି

ଯେ ଯେମନ୍ତେ ସେହିପରି ଭେଟାଉଛନ୍ତି

ପଲଙ୍କ ପାଶକୁ ଲାଗି      ବସୁଛନ୍ତି ସିଦ୍ଧ ଯୋଗୀ

ବଇଷ୍ଣବ ଅନ୍ମତ୍ୟାଗୀ ନିର୍ମୋହ ଯତି

ଯେ ଶ୍ରୀରାମ ଦଣ୍ତବତକୁ

କଲ୍ୟାଣ କରନ୍ତି ତୋଳି ବେନି ହସ୍ତକୁ ।୧୪।

 

ଉଭୟ କୁଳ ନିର୍ମଳ      ବେଦ ଶାସ୍ତ୍ରରେ କୁଶଳ

ସମୃଦ୍ଧି ବ୍ରାହ୍ମଣକୁଳ ମିଳି ଛାମୁରେ

ନମସ୍କାର ଶୁଣିଲଇଁ      ଅଞ୍ଜଳି କର ଲମ୍ବାଇ

କଲ୍ୟାଣ କରନ୍ତି ଅତି ଗଭୀରସ୍ୱରେ

ଆୟୁଷ ଆରୋଗ୍ୟ ଐଶ୍ୱର୍ଯ୍ୟ-

ମାନଙ୍କ ସମୃଦ୍ଧି ପୁଣି ଲଭ ସାମ୍ରାଜ୍ୟ ।୧୫।

 

ନୃପ ଦକ୍ଷ ପାଶେ ଦିବ୍ୟ      ଆସନପରେ ଭୂଦେବ

ବସିବାରୁ ଅତି ଶୋଭା ଦିଶିଲା ସଭା

ଭାଇପୁଅ ରାଜ୍ୟ ପାତ୍ର      ଶ୍ରେଷ୍ଠଜନ ମନ୍ତ୍ରୀ ପାତ୍ର

ଭେଟିକେ ବସନ୍ତି କେବା ହୁଅନ୍ତି ଉଭା

ଯେ ଯେମନ୍ତ ସେ ସ୍ଥାନେ ରହି

ତିଳେ ବଳିବାକୁ କାହା କର୍ତ୍ତବ୍ୟ ନାହିଁ ।୧୬।

 

ନରେନ୍ଦ୍ର ସାହେବେ ଆସି       ଭେଟ ହେଲେହ ପୂର୍ଣ୍ଣ ଶଶି

ଆଗେ ବୁଧ ଗ୍ରହ ଯଉଁରୂପେ ସୁନ୍ଦର

ନରପତିଙ୍କ ମାନସ      ଦେଖି ହେଲେ ମହାତୋଷ

ନବୀନ ଚାରୁ ବୟସ ବିବେକୀ ଧୀର

କାଶୀ ହରିଚନ୍ଦନ ସିଂହେ

ଏହି ତୋରାରେ ଭେଟିଲେ ରାଜାଙ୍କ ଆଗେ ।୧୭।

 

ପାଟଯୋଶୀ ପହରାଜେ       ମୃଲକ ନାନାଦି କାର୍ଯ୍ୟେ

କହୁଛନ୍ତି ନରପତି ମାନସ ଜାଣି

ପାଟଯୋଶୀଙ୍କ ଉପରେ      ହାସଦୃଷ୍ଟି ଥରେ ଥରେ

ପଡ଼ି ଭଙ୍ଗି କଉତୁକ ଲାଗିଛି ପୁଣି

ଥରେ ଥରେ ଆଞ୍ଚି ଖଡ଼ଗ

ବାମକର ଅଙ୍ଗୁଳି ନିଶରେ ସଂଯୋଗ ।୧୮।

 

ପାଟ ଜଉତିଷ ଆସି       ମଣିମା ମଣିମା ଭାଷି

ବାର-ତିଥି-ତାରା-ଶଶି-କରଣ ଭଣି

ଭୂତ ଭବି ବର୍ତ୍ତମାନ      କାଳ ଶୁଭାଶୁଭ ମାନ

ରାଜ ଯୁବରାଜ ରାଣୀ କହନ୍ତି ଗଣି

ଖୁରିପାଳ ଖୁରି ସଜାଡ଼ି

ଦଣ୍ତଲିତା ଜ୍ଞାତା କରେ ଘଡ଼ିକି ଘଡ଼ି ।୧୯।

 

ରାଜାଙ୍କ ମେହେର ପାଇ       ନାନା ବିଦେଶୀ ସିପାହୀ

ରାଜପୁତ ବଘେଲ ଚୂହାନ ପଠାଣ

ମୁଗଲ ଚନ୍ଦେଲ ଜାଠ      ରାଠୋର ତେଲେଙ୍ଗା ଭଟ୍ଟ

କନାଉଜୀ ମହାରାଷ୍ଟ୍ରୀ ସିପାହୀଗଣ

ମଜୁରା ସେ କରନ୍ତେ ଏଣେ

ଲକିବ ଜଣାଇ ଦିଏ ଜଣକୁ ଜଣେ ।୨୦।

 

କୁସୁମୀ ପଗଡ଼ି ଶିରେ      ଛିଟ ଅଙ୍ଗୀ କା ଅଙ୍ଗରେ

ପାଆଜାମା କଟିରୁଆ ଅତି ଲସରେ

ଚିହିଲି ଜଙ୍ଘିଆ ଲାଇ      ବେଢ଼ାଇ ରଙ୍ଗ ଦୁଲାଇ

ଓଢ଼ାଇଛି କେ ଆଦରେ ଖାସା ଚାଦରେ

କେ ପହରେ କଟାର ଜାମା

ସରୁତର ବୁଟାଦାର କାହାର ନୀମା ।୨୧।

 

କେହୁ ନିଶ ଯୋଡ଼ି ମୋଡ଼ି      ବର୍ଣ୍ଣେ ଦେଇଅଛି ଛାଡ଼ି

ଛାତିପରେ ପଡ଼ିଅଛି ଦାଢ଼ି କାହାର

ହାଥୀ ଥୋର ପରି ବାହା କଠିନ ଯେମନ୍ତ ଲୁହା

କାହା ଛାତି ବନିଅଛି କମଠାକାର

ମହାବଳୀ ଯୁଆନମାନେ

ହାଥୀକି ହିଁ ପିଛାଡ଼ିବା ମନ ଗୁମାନେ ।୨୨।

 

ଢେଗା ପକାଇ ଢ଼ାଲରେ      କପୁରିଛି ବାମ କରେ

ସାଞ୍ଜୁ କଷିଛି ବେକରେ ଶିଙ୍ଘ ସିପାହୀ

କେ ପେସ କବଳ ଧରେ      କଟାରି କାହାର କରେ

ପେସଢଉଲ କେ ଚକମକି ଚରାଇ

କାହା କରେ ଖଞ୍ଜର ଛୁରୀ

ଢାଲା ଖଣ୍ତା ଅଛି ତାର ଚାକର ଧରି ।୨୩।

 

କପୋଳେ ଚନ୍ଦନ କୋରା      କାନେ ଚାରୁ ମୋତି ତୋରା

ଚନ୍ଦନରେ ଗିରା ଗିରା କାହାର ତନୁ

ରାଜଙ୍କ ଇସାରା ପାଇ      ବିଛଣା ଉପରେ ଯାଇ

ବସିଲେ ଆଗକୁ ଭିଡ଼ି ଜାନୁକୁ ଜାନୁ

ପରଦେଶ ବରକନ୍ଦାଜେ

ଶିଙ୍ଘ ବେଲାଦାନି ନଳି ଗିଲାପ ସଜେ ।୨୪।

 

ମହାବଳୀ ଫରିକାରେ      ଫରି ଝାଡ଼ି ଆଣ୍ଠୁପରେ

ଖଣ୍ତା ଝଲକାଇ ବନ୍ଧଠାଣିରେ ରହି

ମଣିମା ମଣିମା ଭଣି      ଶିରେ ଟେକି ବେନିପାଣି

ତାଙ୍କ ବାନାମାନ ଗଣି ହୁଅଇ ନାହିଁ

ବାଘ ଲାଞ୍ଜ ଧଣ୍ତା ଶିଙ୍କୁଳି

ଜାନୁ ଘଣ୍ଟ ବାଘ ତୋଟି ଲେଙ୍କୁଡ଼ିମାଳୀ ।୨୫।

 

ଏକ କୁଣ୍ତଳ ଫତୋଇ      ହଳହଳା ଛେଲ ଦୁଇ

ବାହାରେ ବାହୁଟି ଲାଇ କର୍ଣ୍ଣେ ତୋଡ଼ର

ବଦଉରେ ଗଦା ଠିଆ      ମୁନଚିରା ମୁନେ ମୁଆଁ

ଛେଲ ମୁନେ ଗୁଆ ମେଖ ବାନା କାହାର

ମୁଣ୍ତେ ଏରା ପକ୍ଷୀ କେରାଏ

କେ କଜ୍ଜଳ ସେକ ସାଇ କପୋଳେ ଲାଏ ।୨୬।

 

ହାବୋଡ଼େ ପଡ଼ିଲେ ପର      ମୁଲକର ଫରିକାର

ବାଜା ଦେଖି ବାଜ ପରି ଯାଇଁ ପଡ଼ନ୍ତି

କରୁଥିବେ ଯେବେ ଫରି      ଦେଖୁଥିବ ତାହାଙ୍କରି

ବଇରୀ କାଳ କୃତାନ୍ତ ରଡ଼ି ଛାଡ଼ନ୍ତି

ନୃପବର ସ୍ନେହ ବଶରେ

ଜୀବନକୁ ଆଶା ନରଖନ୍ତି ଲେଶରେ ।୨୭।

 

କୀଟଧାରୀ ଢଙ୍କୁଣିଆ      କୁନ୍ତ ଓଡ଼ିଆ ବାଣ୍ଠଆ

ତିରନ୍ଦାଜ ସାବେଳିଆ ଚନ୍ତ୍ରୀ ଢଣୁକ

ଟୋପିବାଲା ଗୁଲନ୍ଦାଜ      ପାରସୀ ନବିଶ ଗଜ-

ମାହୁନ୍ତ ବାଜି ସହିତ ପତି ଚାଳକ

ବେଲଦାର ସୁଆଁସ ଲୋକେ

ଲାଲବନ୍ଦୀ ବୈରୀ ଶୀକାରିଆ ସେବକେ ।୨୮।

 

ବକସୀ ବାରୁଦଘର-      ପରୀଛା ପୁଣି ରାଠୋର

ଚୁହାଣି ଦଳ କରଣ ଜୁହାର ହୋନ୍ତି

ମଈଁଷି ଗାଈ ପଲର      ଅଧିକାରୀ ଖନ୍ଦାଘର

ଖରଶୋଧା ଭେଟି ଯେଝା କାର୍ଯ୍ୟ ଜଣାନ୍ତି

ମହାଖୁଡ଼ ପାଟ ଆପଟ

ଛତ୍ର ତାରା ବରଦାର ଚାକର ଭେଟ ।୨୯।

 

ସରଦାର ଗଡ଼ ସାଇଁ      ଦଳ ବେହେରା ଦଳାଇ

ପ୍ରତି ଗଡ଼ର ପାଇକେ ଭେଟିଣ ତୋଷ

ଧନେ ଧନଦ ସମାନେ      ପ୍ରଧାନ ପଧାନ ମାନେ

ଭେଟନ୍ତି ଚାହାନ୍ତି ସାବଧାନେ ନରେଶ

ଚାରି ତଣ୍ତକାର ବିଷୋଇ

ଅମାରପତି ଖମାରକାରିଣୀ ଭୋଇ ।୩୦।

 

ବୈଦ୍ୟରାଜ ଧନ୍ୱନ୍ତରୀ      ଚିରା ଫୋଡ଼ା ଶିଙ୍ଗାକାରୀ

କରୀ ଘୋଡ଼ା ବ୍ୟାଧିହାରି ସପି ପାଳକ

ଇନ୍ଦ୍ରଜାଲିକ ବେତାଳ      ବାଂଶ ଖେଳା କେଳା କୁଳ

ଡ଼ାକିନୀ ଝାଡ଼ୁଆ ବୀର ଗଣ ଚାଳକ

ଉତୁ ଗରଜନ ବିନ୍ଧାଣୀ

ପାଲଙ୍କୀ ନିର୍ମାଣକାରୀ ଭେଟିଲେ ପୁଣି ।୩୧।

 

ବୀଣା ଅମୃତୀ ତମ୍ବୁରା      ମାଦଳ ତାର ମନ୍ଦିରା

କେ ସ୍ୱର ବଇଁଶୀ ଧରିଛି କେ ଖଞ୍ଜରୀ

ସଂଗୀତ ପ୍ରବୀଣମାନେ      ଇଙ୍ଗିତ ହାସ ଈକ୍ଷଣେ

ଭଙ୍ଗିଭରେ ଭେଟୁଛନ୍ତି କରି ଚାତୁରୀ

ତେଲେଙ୍ଗା ବାଦନ ନିକର

ମଜୁରା କଲେ ନୌବତ ବାଜା ଚାକର ।୩୨।

 

ଖଣ୍ତ ନବାତ ଶାକର       ଚିନି କନ୍ଦ ମିଶ୍ରିବର

ନାନା ଖଜାକାରୀ ଯୋଗଣିଆ ଭେଟିଲେ

ଅଧାମ ଗୋଟିକା ସର      ଦୁଧ ଦଧି ଚହ୍ଲାସାରା

ନିତି ଖଟଣି ଗୋପାଳେ ମଜୁରା କଲେ

ସୂପକାରମାନେ ହାଜର

କାଟବାଛ ଲୋକେ ଯାଇଁ ଭେଟି ସତ୍ୱର ।୩୩।

 

ରତ୍ନବିନ୍ଧାଣୀ ଯତନ      ହେମ କମକାରୀ ଜନ

ଲୋହକାରକ ବଦଉ ଟିପା ବିନ୍ଧାଣୀ

ସରକାର ପାସ ପତା      ନାଗରଚି ତମ୍ୱୁ ପୋତା

ଦରଜୀ ମାଳୀ ତାମ୍ୱୁଳୀ ଭେଟିଲେ ପୁଣି

କୁତା ଚିତାବାଘ ପାଳକେ

ଓଟଧାରୀ ମୃରାତମା ଧଣ୍ତା ଚାଳକେ ।୩୪।

 

ସାଥୁଆ ଦାନୀ ତଣିଆ       ରୂପ ଚିତ୍ରକାର ଭୟା

ଅତର ସୁଗନ୍ଧକାରୀ ବଗିଚାପତି

ଘଟୁଆଳ ଯେ ରଜକ       ତୁରି ଭୁଡ଼ଙ୍ଗ ଟମକ-

ଦାର ବାହାର ଦଳହିଁ ଦୂରୁଁ ଭେଟନ୍ତି

ଛାମୁଦ୍ୱାରୀ ମଣିମା ଭଣି

ଜୁହାରକୁ ସାବଧାନ ଡ଼ାକେ ଏ ବାଣୀ ।୩୫।

 

ରଜତ ଛଡ଼ିକି କରେ       ଧରି ଉଭା ଚୋପଦାରେ

ଆଗ ବଢ଼ି କୁହା କହି କି ସେ ଚାହାନ୍ତି

ସୁଧର୍ମା ପରାଏ ସଭା      ପୁରି ଦିଶୁଅଛି ଶୋଭା

କି ଉପମା ଦେବା ଅବା ନାହିଁ ଭାରତୀ

ଦେବା ନେବା ଆଣି ରଖିବା

କାରଖାନାରେ ଅଛନ୍ତି ଯେ ଯାହା ସେବା ।୩୬।

 

ସୁବାପରଗଣା କୋତି       ଭେଟନ୍ତି ଯାମୁସତତୀ

ନବାବ ଖତ ଦିଅନ୍ତି ଡ଼ଗରାମାନେ

ଗଜପତି ଆଜ୍ଞା ଲେଖା       କେହି ଦେଇ କଲେ ଦେଖା

କେତେ ଶିଠେ ପୁଣି ଅବା ଇତର ସ୍ଥାନେ

ଯେ ଯେମନ୍ତ ତହିଁକି ଭାଷା

ଶୁଣି ପୁଣି ପାଉଛନ୍ତି ଖରଚ ବସା ।୩୭।

 

ଜାତ ଉପଜାତ ଆୟ      ବ୍ୟୟ ଭଣ୍ତାର ସଞ୍ଚୟ

ନ୍ୟାୟ ଅନ୍ୟାୟକୁ ବୁଝି ମଣ୍ତି ଦଣ୍ତିବା

ଯାହାକୁ ଯେବା ଉତ୍ତର       ଲେଖି ଶ୍ରୀହସ୍ତ ପତର

ପଢ଼ି ବିବେଚନା କରି ଅକ୍ଷରଦେବା

ମୁଲକ ହିସାବକିତାବ

ପଡ଼ିଆଉଠିଆ ଛାଡ଼ବଡ଼ ଯେ ହେବ ।୩୮।

 

ଛାମୁକରଣ ଜଣାଣେ             ସାବଧାନ ଅନୁକ୍ଷଣେ

ରାଗ ରଙ୍ଗ ନାନା ଗୁଣେ ଏଣେ ସହର

ନବର ଖବର ଘେନି      ପ୍ରତିହାରୀ କର୍ଣ୍ଣେ ତୁନି

କରି କହନ୍ତେ ପାଉଛି ପ୍ରତିଉତ୍ତର

ଅଷ୍ଟଅବଧାନୀ ଈଶ୍ୱର

ସବୁ ବିଷୟକୁ ଆପେ ଖବରଦାର ।୩୯।

 

କେ ପାଏ ସୁନା କଙ୍କଣ      ମୁକୁତା ନୋଳି ସଙ୍ଗେଣ

କେ ସମୁଚା ଶିରୋପା କେ ପତନୀ ଶାଢୀ

ବାଜି ଶିରୋପା କେ ପାଇ       କା ବର୍ତ୍ତନ ଚଢା ହୋଇ

ନଗଦ ଭାବେ କେ ଟଙ୍କା ନେଉଛି ଝାଡ଼ି

କେ ପାଏ ଗ୍ରାମ କେ କାଟେଣି,

ବଣିଆ ଘରୁ କେ ନେଲା କଉଡ଼ି ଗଣି ।୪୦।

 

ପଲଙ୍କ ଚଉକି ମାନେ      ଠିଆ ଆଜ୍ଞା ସାବଧାନେ

କାଠିଆ କୋରଡ଼ାବରଦାର ହାଜର

କାହା ପାଦେ ଲାଗେ ବେଡ଼ି      କେବା ହରିକାଠେ ପଡ଼ି

କୋରଡ଼ାରେ ଯାଏ ଉଡ଼ି ଚମ କାହାର

ଯୋରି ମେଳିଆକୁ ଏ ଦଣ୍ତ

କେବା ଶୁଳେ ଢେଙ୍କୀତଳେ କେ ଖଣ୍ତ ଖଣ୍ତ ।୪୧।

 

ମଧ୍ୟାହ୍ନ ସୁର୍ଯ୍ୟଙ୍କୁ ଦେଖି      ଠଅରି ପାରିବ ଆଖି

ନରପତିଙ୍କି ନିରେଖି ସେକାଳେ କୋହେ

ସେ ଶ୍ରୀମୁଖ ପୂର୍ଣ୍ଣ ଶଶି      ପରାଏ ଶୀତଳ ଦିଶି

ଜନମନେ ହୋଏ ବାପ ଜନନୀ କି ଏ

କଳନା ହୋଇବ ସାଗର

ଏ ପ୍ରଭୁ ଏନ୍ତଃକରଣ ନୋହେ ଗୋଚର ।୪୨।

 

ସଂସ୍କ ତ ତରଳ ଗୀର       ସରଳ ବିରଳ ସ୍ୱର

କେଉଁ ବିପ୍ର ଅଗ୍ରସର ହୋଇ ବଦତି

ହେ ନ୍ୟାୟନିପୁଣ ରାଜ      ଅନ୍ୟାୟ ଅନ୍ଧାର ରାଜ

ଅନ୍ୟାବଧାନ ନୁହ ମୋ ମ୍ତୁତିରେ ଅତି

ସାବଧାନ ନୃପତି ଶଶି

ଚିରାୟୁ ଭବ ବୋଲେ ଏ ଚୂର୍ଣ୍ଣକ ଭାଷି ।୪୩।

 

ଏତେ ଭାଷି ଦ୍ୱିଜବର      ଶାସ୍ତ୍ରସହ ଅଳଙ୍କାର

ଲଗାଇ ବ୍ୟୁପୃତ୍ତି ବଳେ କରେ ସେ ଅର୍ଥ,

ସଂସ୍କୃତ ମର୍ଯ୍ୟାଦା ଭଙ୍ଗୀ      ଯେମନ୍ତ ଗଙ୍ଗାତରଙ୍ଗୀ

ମୁଖଁ ଉଚ୍ଚାରେ ଅକ୍ଷର ନୋହି ବିଅର୍ଥ

ନୃପବର ସନ୍ତୋଷ ହେଲେ

ଶାଲ ବୀରବଲ୍ଲୀ ଶାଢୀ ସତ୍ୱରେ ଦେଲେ ।୪୪।

 

ବୃଦ୍ଧ ଜ୍ଞାନ ବ୍ରହ୍ମଚାରୀ      ଶଦ୍ଦ ଦନ୍ତେ ହରିହରି

ଛାମୁକୁ ନେଲା ଦୁଆରୀ କରି ଗୋଚର

ରାଜା ନମସ୍କାର ହେଲେ      ଆସନେ ସେହୁ ବସିଲେ

ଆଗ୍ୟାଁ କଲେ କୃଷ୍ଣ କଥା କିଛୁ ଉଚ୍ଚାର

ଗୋସାଇଁ ବୋଇଲେ ହେ ବାବୁ

ଆମ୍ଭେ ତ ଆଗ୍ୟାଁନୀ ଜୀବ କିସ କହିବୁଁ ।୪୫।

 

ତଥାପି କହିବା କିଛି      ରାଜା ତୋର ଶ୍ରଦ୍ଧା ଅଛି

ଏ ସଂସାର ପ୍ରବର୍ତ୍ତିଛି କି ଚମତ୍କାର

ଆଜିକାଲି ପରି ନର      ଯାଉଛନ୍ତି ଯମପୁର

ଥିବା ଲୋକର ବିଚାର ଆମ୍ଭେ ଅମର

 

ସର୍ବକାଳେ ଈଶ୍ୱର ନିତ୍ୟ

ଆଉ ସବୁ ଜୀବ ଦ୍ରବ୍ୟ ହୋନ୍ତି ଅନିତ୍ୟ

ସତ୍ୱ ରଜ ତମ ଗୁଣ      ଘେନି ଯେତେ ପ୍ରାଣୀମାନ

ଜନ୍ମି ଯେ ଯେମନ୍ତ ଆଚରଣ କରନ୍ତି

କେ ଧାର୍ମିକ କେ ବିବେକ      କେ ପାପୀ ଅଧର୍ମୀ ଲୋକ

ଗୁଣବଳେ ବନ୍ଦୀହୋଇ ପ୍ରବର୍ତ୍ତିଛନ୍ତି

ନିର୍ଗୁଣ କେବଳ ଈଶ୍ୱର

ଏଣୁଟି ନାହିଁ ତାଙ୍କର ପର ଅପର ।୪୭।

 

କଳିଯୁଗେ ଯେତେ ଜନ      ଆୟୁଷ ପ୍ରାକର୍ମହୀନ

ଇନ୍ଦ୍ରିୟଙ୍କ ବଶ ଯେଣୁ ଚଞ୍ଚଳ ବୁଦ୍ଧି

ମନହିଁ ତାଙ୍କ ଅବଶ      ନାନା ରସରେ ଆବେଶ

କର୍ମ ଯୋଗ ଯାଗ ମାର୍ଗ ନୁହଇ ସିଦ୍ଧି

ହୋଇବାରୁ ନାନା କାମନା

ଜପତପହିଁ ସଫଳ ନୁହଇ ସିନା ।୪୮।

 

କୃଷ୍ଣ ଅଂଶେ ଅବତରି      ଚୈତନ୍ୟ ଠାକୁର କରି

ଯାଉଛନ୍ତି ପନ୍ଥା ହରି ହରି ବୋଲିବା

ନାହିଁ ତହିଁ ବେଳକାଳ      ନ ଲାଗେ ଧନ ସମ୍ୱଳ

ନାହିଁ ଶୁଦ୍ଧାଶୁଦ୍ଧ କିଛି ଦେବା କି ନେବା

ମୁଁ ଅଧମ ଏହା ବିଚାରି

କାହିଁକି ନ ପାରି ବୋଲେ ହେ ହରିହରି ।୪୯।

 

ଏମନ୍ତ କହନ୍ତେ ରାଜା      ଆନନ୍ଦେ ମଜ୍ମାଇ ମଜ୍ମା

ତାଙ୍କ ପାଶେ ବହୁ ପୁଜା କଲେ ହରଷେ

ନିର୍ଲୋଭୀ ସେ ତ ଗୋସାଇଁ      ଜନ ନ୍ତ୍ରାଣେ ଭ୍ରମୁଥାଇ

କଲ୍ୟାଣ କରି ଚଳିଲେ ଭ୍ରମଣ ଆଶେ

ନୃପବର ନିର୍ମଳ ଚିତ୍ତେ

ଏହିରୂପେ ସାଧୁମାନେ ମିଳନ୍ତି କେତେ ।୫୦।

 

ଦକ୍ଷିଣଦିଗ ନାଚୁଣୀ      କ୍ଷୀଣ ଅଙ୍ଗୀ ସ୍ଥୂଳ ଶ୍ରୋଣୀ

ଅକ୍ଷୀଣକୁନ୍ତଳା ଏଣୀଈକ୍ଷଣୀ ବାଳା

ସୁରତରେ ସୁରତରୁ      ଯା ନେତ୍ରଗତାଗତିରୁ

ହର ଗ୍ୟାଁନ ହାରିଯିବେ କାମେ ତରଳି

ତିଳଫୁଲ ନାସା ଫୁଲାଇ

କହିବା ଚାହିଁବା ଭଙ୍ଗୀ ନୋହେ ମୂଲାଇ ।୫୧।

 

ଉଚ୍ଚ କୁଚକୁ କାଞ୍ଚଲା       କୁଞ୍ଚିତ ଓଢଣୀ ଭଲା

ମୁଖକୁ ତ ମାନିଥିଲା ରସବତୀର

ନାସାରେ ସୁନ୍ଦର ନୋଥ      ଦେଖି ଯୁବା ହେବେ ଲୋଥ

ଛାଇଦେବାରୁ ମନ୍ମଥ ଅମାପ ଶର

ନାଚ ସଜମଣ୍ତଳୀ ଘେନି

ପ୍ରବେଶ ହେଲା ସେ ମୁନିମନମୋହିନୀ ।୫୨।

 

ପଢିହାରୀ ଆଗ୍ୟାଁ ପାଇ      ଛଡ଼ି ଘେନି ବାଡ଼ି ଦେଇ

ଧାଡ଼ି କରି ରଖିଦେଲା ଲୋକ ଦ୍ୱିପାଶେ

ରଙ୍ଗରଙ୍ଗିନୀ ଏ କାଳେ      ଜୁହାରି ନେତ୍ର ତରଳେ

ନାଟ ଭଙ୍ଗୀ ଧରି ଉଭା ଈଷିତ ହାସେ

ମାଦଳିଆ ମାଦଳ ନେଇ

ସ୍ୱରଦେଇ ତା ଧା ଧ୍ରିମି ଉକୁଟ ବାଇ ।୫୩।

 

ନର ନେତ୍ର ମନୋହାରୀ      ଅଳପ ଆଳାପ କରି

ତାଥେଇ ବୋଲି ଭଉଁରି ମାରି ଅଇଲା

ବୁଲିଯିବାରୁ ସେ ରୀତି      ଭୁଲିଗଲା ଯତି ମତି

ଫୁଲିଉଠି ରତିପତି ଧନୁ ଧଇଁଲା

ନାଟରାଗ ଆଦି ତାଳରେ

ଚାଟୁଉକ୍ତି ଗୀତ ପକାଇଲେ ମେଳରେ ।୫୪।

 

କଳା ଧଳା କରି ଡ଼ୋଳା      ଖେଳାଇ ଚାହେଁ ଅବଳା

ନାଚନ୍ତେ ନୂପୁର ବଳା କରଇ ଧ୍ୱନି

ଉଚ୍ଚ କୁଚ ଡ଼େରି ଗୋରୀ      ହସ୍ତକ ଦେଖାଇ କରି

ମସ୍ତକ ଭାଳେ ଯା ଥରି ଉଠିବେ ମୁନି

ସରୁ କଟି ଗରୁ ଉରଜେ

ଡ଼ରୁଛି କେ ନିକି ନାଟ ଭରୁଁ ଏ ଭାଜେ ।୫୫।

 

ତକଟ ତାକଟ ଥେଇ      ଧୀଧୀଙ୍ଗନ ଧେଇ ଧେଇ

ଧ୍ରୀମିକି ଧ୍ରୀମି ଧେ ଧେଇ-ମାଦଳ ସ୍ୱନ

ପ୍ରକଟ ଉକୁଟ କରି       ନାଚି ନାଚି ପୁର ସରି

ମାନ ମୁଣ୍ତେ ଦେଇ କରି ରଖଇ ତାନ

ପୁଣି ଗୀତ ଲୟକୁ ଘେନି

ହସ୍ତକ ଲୟ କରଇ ଘନଜଘନୀ ।୫୬।

 

ଦଶତାଳ ଅନ୍ତର୍ଭୁକ୍ତ      ଉପତାଳ ଏକ ଶତ

ଗୋଟିକେ ଗୋଟିକେ ଗୀତ ଗାଇ ନାଚିଲା

ବେଳୁଁ ବେଳ ବାଳା ବଳ      ବଢିଲା ଅତି ପ୍ରବଳ

ସବୁରି ଦେହରେ ସୁଧାରସ ସିଞ୍ଚିଲା

ତାର ଲୀଳା ଶୋଭା ବିଚିନ୍ତ୍ରେ

ପଲକ ରହିଲା ନାହିଁ କାହାରି ନେନ୍ତ୍ରେ ।୫୭।

 

ବାଳା ନୃତ୍ୟ ଗୀତ ସ୍ୱର       ନାଗେଶ୍ୱରେ ନରେଶ୍ୱର

ଧୀର ମନ ନାଗେଶ୍ୱର ଚଞ୍ଚଳତର

ଗୀତ ମନ୍ତ୍ରେ ବଶ ହେଲା      ହୃଦ ବିଳୁଁ ବାହାରିଲା

ରୂପ ପେଟୀରେ ପଡ଼ିଲା ବନ୍ଦି ସତ୍ୱର

ଇନାମ ଯେ ହେଲା ଅଶେଷ

ସୁନା ମରକତେ ମୋତି ଶାଲ ସୁବାସ ।।୫୮।

 

ଏହିକାଳ ହସିହସି      ଭାଣ୍ତ ପୁଣ୍ତରିକା ଆସି

ଲୋକ ପେଲି ଗଲା ପଶି ଛାମୁକୁ ବୋଲି

ମହାରାଜ ମହାରାଜ      ଚନ୍ତ୍ରବର୍ତ୍ତୀ ବଡ଼େ ମଜା

ହାସମୁଖା ପୁଣ୍ତରିକ ପ୍ରବେଶ ହେଲି

ଶୁଣି ରାଜା ଅଳପ ହସି

ବୋଇଲେ ତୁ କାହୁଁ ଅଇଲୁ ହୋ ବିଦେଶୀ ।୫୯।

 

ଭଣ୍ତ ପୁଣ୍ତରିକ ଶୁଣି      ବୋଇଲା ଭୋ ନୃପମଣି

ଆମ୍ଭ ଦେଶ ନାମ ପୁଣି ଅନିଳପେଟା

ମଙ୍ଗଳକଣ୍ଟକ ଗଡ଼େ      ଲୋକଙ୍କର ଗୋଡ଼େ ଗୋଡ଼େ

ଶଗଡ଼େ ପଡ଼ି ଚଳନ୍ତି ଗୋଟାକୁ ଗୋଟା

ରାଜା ନାମ କାଳକୁଣ୍ତଳି

ରାଣୀ ନାମ କାଳନେତ୍ରୀ ମର୍କଟବାଳୀ ।୬୦।

 

ଶୁକ୍ଳକେଶ ଦେଲେ ଫେଇ      କଣ୍ଠକୁ ବୋଲି ପଡ଼ଇ

ଓଷ୍ଠକୁ ତ ଜମ୍ୱୁଫଳ ଦିଶେ ନିଊନ

ରସକୁ ପଡ଼େ ନି ଆଖି      କାମଭୟ କରେ ଦେଖି

କସ୍ତୁରିକଳା ବାଟୁଳି ବର୍ତ୍ତୁଳ ସ୍ତନ

ଗଣପତି ପରା ଉଦର

ମର୍କତ ଛଡ଼ି ପରାଏ ଉରୁ ସୁନ୍ଦର ।୬୧।

 

ଅଶ୍ୱଗତି କରି ସଖୀ       ଆସୁଥିଲେ ରାଜା ଦେଖି

ଦରାଣ୍ତିହୁଅନ୍ତି ଆଖି ପଡ଼ନ୍ତେ ବୁଜି

ବଜ୍ର ଅଙ୍ଗୀ ଏହିକାଳେ      ପତିପରେ କାମ ଭୋଳେ

ପଡ଼ଇ ତୁରଙ୍ଗୀ ପରେ ଯେମନ୍ତ ବାଜି

ଅବକାଶ ହୋଇଲେ ରାଜା

ବୋଲି ବାହାରେ ବାଜଇ ବିବିଧ ବାଜା ।୬୨।

 

ମାହାଳିଆ ଆଗ୍ୟାଁ ପାଇ      ବେତାଳିଆ ଦୂତେ ଧାଇଁ

ଦେବାଳୟମାନେ ଯାଇଁ ମୁଦି ଅଇଲେ

ରାଜାରାଣୀ ସଙ୍ଗ ହେଲେ      ଶ୍ରୀନନ୍ଦନ ଜନମିଲେ

ଦେବତାମାନେ ମଣୋହି ହେବେ ବୋଇଲେ

ବ୍ରାହ୍ମଣଙ୍କ ଲୁଗା ଛଡ଼ାଇ

ଗେଣ୍ତାସ୍ତବ ଗୁଣ ବୋଲି ଗଣ୍ତେ ବୁଡ଼ାଇ ।୬୩।

 

ହେବାରୁ ଏ ଧର୍ମବଳ       ଜନମିଛ ମହାକାଳ

ବୋଲି ନୃପତିର ବାଳ ଅନ୍ଧାର ରାଶି

ସାତ ବରଷ ବାଳକ       ମଣୋହି ନାହିଁ ବେଳକ

ଅଜମେଷ ଗୁହାଳକ ବଢ଼ିଲେ ଆସି

ଶ୍ରୀଅଙ୍ଗତ ନୋହିଲା ମୋଟ

ଶ୍ରୀଭୁଜ ସରୁ ସୁନ୍ଦର ଟମକ ପେଟ ।୬୪।

 

ଏତେ ଭାଷି ହସିହସି      କପୋଳରେ ନେତ୍ର ଖୋସି

ଅଳପ ମାତ୍ର ପ୍ରକାଶି ବିପୁଳ ଦନ୍ତ

ଆହା ଆହା ବୋଲି ମହା-      କୁତୁକେ ଚାହିଁଲା ଯାହା

ହସିହସି ଲୋଚା ହେଲା ସବୁରି ଅନ୍ତ

ନୃପବର ଅଳ୍ପ ହସିଲେ

ବେନିବାସ ଦଶଟଙ୍କା ହୁକୁମ କଲେ ।୬୫।

 

ବହୁ ଦୂରଦେଶୀ ଭାଟ      ସିଂହଦ୍ୱାରରେ ପ୍ରକଟ

ପିଙ୍ଗଳକବିତ୍ୱ ପାଠ ମଙ୍ଗଳବରେ

ହାଙ୍କମାରି ପଡ଼ିବାରେ      ଇସାରା ନୃପ ଦେବାରେ

ଡ଼ାକି ଦୁଆରୀ ଭେଟାଇ ଦେଲା ଛାମୁରେ

ଜଏ ଭାଷି ଆଶିଷ ଦେଇ

ଆପଣା କୃତ କବିତ୍ୱ-ବନ୍ଧ ପଢ଼ଇ ।୬୬।

 

କବିତ୍ୱ

“ରାଜାସିଂହ ଭ୍ରମରବର      ରାଏ ତବ ଦାନପର

ମୁଲକକେ ବିଚ ମୁନାଓ ଫେରା

ଅଜବ ଅଶୁଆର ପର      ଫୌଜମୁନିକସକର

ଆପ ମଜବୁତ ତରଓ୍ୱାର ମାରା

କାମ ଅଭିରାମ ତବ      ନାମଗୁଣ କୀରତସବ

ହାଁସ ମୁନିଆଏ ଅବ ଚିତ୍ତ ତୋରା

ତାଜି ନକି ବାଜୀବର      ଆଜ ବକ୍‌ସିସ କର

ରାଜି ତବ ଯାହି କର ଦିଲ ମେରା

ଖୁସୁଭଏଁ ନୃପ ଦିଲସେ ପଏସା ନଗଦ ହଜାର

ଐସି ଘୋଡ଼ା ବକସିସ କିଏ ଲାଖବାଜିନମୁ ସାର

 

ଏ ସମୟେ ବ୍ରଜନାଥ      ବଡ଼ଜେନା ମନୋରଥ

କରି ଛାମୁଦ୍ୱାରେ ଯାଇଁ ହେଲା ପ୍ରବେଶ

ଛାମୁଦ୍ୱାରୀ କି ଜଣାଇ      ଆସହେ ବୋଲନ୍ତେ ଯାଇଁ

ଗ୍ୟାତା କରି ଡ଼ାକେ ବଡ଼ଜେନାଏ ଆସ

ସଭା ଶୋଭା କିବା କହିବା

ଆଭାସିଲା ସ୍ୱର୍ଗ ଛିଡ଼ିପଡ଼ିଲା ଅବା ୬୭

 

ପ୍ରତେ ହେଲା ଏ ରାଜନ      ନିଶ୍ଚେ କୁବେର ସମାନ

ରାଜରାଜ ବରୁଣ ଏ ରସ ସଦଏ

ଇନ୍ଦ୍ର ଏ ବଜ୍ରମଣ୍ତନ      ନେକ ନେତ୍ର ଶୋଭନ

ପବନ ଦେବତା ପରତାପ ଗଞ୍ଜନ

ରାମଚନ୍ଦ୍ର ଲକ୍ଷ୍ମଣ ଯୁତ

ରାଜଶିରୋମଣି ଯେଣୁ ଶିବ ସାକ୍ଷାତ ୬୮

 

ଏହିପରି ଭାବନାରେ      ଯାଇ ପ୍ରବେଶ ଛାମୁରେ

ଦୁଇ କର ଯୋଡ଼ି ଶିରେ ମଜୁରା ଦେଇ

ବୋଇଲି ଭୋ ମହାରାଜା      ପ୍ରତାପୀ ପ୍ରଚଣ୍ତ ତେଜା

ସାବଧାନ ହେବା ମୁଁ ଯା ଗ୍ୟାଁତା କରଇ

କୋଠ ଖାଇଜାଦ ଲୋକ ମୁଁ

ଆନ ନଜୀଣଇ ଏକା ଜାଣନ୍ତି ଛାମୁ ୬୯

 

ବଡ଼ପିତା ପିତା କ୍ରମେ      ସେବାକରି ମହାଶ୍ରମେ

ଭୁଞ୍ଜୁଥିଲେ ଅନରୂପ କରି ସମ୍ପତ୍ତି

ଛାମୁ ଅନଗୃହ ପାଇ      ମୁନିବି ଖିଜିବତ ହିଁ

କରିଥିଲେ ସମର୍ଯ୍ୟାଦ ହୋଇଣ ଅତି

ବଡ଼ଭାଇ ସରିକି ଏହି-

ରୂପେ ଲୋକ ହେଲେ ଛାମୁ ନିଯୁକ୍ତ ହୋଇ ୭୦

 

ଆରଭାଇ ମୁହିଁ ଅବା      ବିସେପତି ଅତ ସେବା

କରିବାରେ ଚରିତାର୍ଥ ଚାଲୁ ଯେ ଥାଉଁ

ଏବେ ସେ ଗଲା ସବୁହିଁ      ଆଉ କିଛି ଲକ୍ଷ ନାହିଁ

ଆନ୍ତର୍ଯ୍ୟାମୀ ପ୍ରଭୁ କିବା ନଜାଣ ଆଉ

କୁଟୁମ୍ୱ ପଞ୍ଚିଶ ପରାଣୀ

କି ପୋଷିବି ଏଥି ପର ରାଜ୍ୟରୁ ଆଣି ୭୧

 

ବର୍ତ୍ତମାନ ଯେତେ ଗୁଣ      କରିଛି ଗୋସାଇଁ ଶୁଣ

ସଂସ୍କୃତ ପ୍ରାକୃତ ହିନ୍ଦୁସ୍ଥାନୀ ବଙ୍ଗଳା

ତେଲଙ୍ଗୀ ଭାଷାରୁ କିଛି      ଏ ରୂପେ ଗୀତ କରିଛି

ଚଉପଦୀ ଚଉତିଶା ବିବିଧ ଲୀଳା

ଛାନ୍ଦବୋଲି ପୋଇ ପ୍ରବନ୍ଧ

ଦଣ୍ତକ ଚୂର୍ଣ୍ଣକ ଆଦି ସିକାରବନ୍ଧ ୭୨

 

ଅ-ଅକ୍ଷର ନିୟମ       ଅମ୍ୱି କାବିଳାସ ନାମ

କୁମାର ଚରିତ ଶିବ ଉମା ବିବାହ

ଛାନ୍ଦ ଶ୍ଳେଷ ଅନୁପ୍ରାସ      ଅକ୍ଷର ଅବନା ନ୍ୟାସ

ଶୃଙ୍ଗାର କୁତୁକ ରସ ସନ୍ଦର୍ଭ ଊହ

ଅଳଙ୍କାର କାବ୍ୟ ଲକ୍ଷଣ

ପ୍ରଶ୍ନୋତ୍ତର ଭଙ୍ଗୀ ଅର୍ଥ ବହୁ ଭାଷଣ ୭୩

 

ଅଦ୍ଭୁତ ଆଭାଷଣ            ବିରୋଧ ନିନ୍ଦାରୁ ପୁଣ

ମହିମା ପ୍ରତାପ ଯଶ ପୁଣ୍ୟ ବୈରାଗ୍ୟ

ଋତୁକାଳ ଚିନ୍ତ୍ରୋପମା      ଉଦାହରଣ ସୁଷମା

ଦୃଷ୍ଟାନ୍ତର ସ୍ୱର ମିନ୍ତ୍ରାକ୍ଷର ସଂଯୋଗ

ବାଲ୍ୟଯୁବା ବୟସ ସନ୍ଧି

ରତି ରତାନ୍ତ ସୁଷମା ବେଶ ଯେ ବିଧି ୭୪

 

ଗରବ କରି ମୁଁ ଏହା      କହୁନାହିଁ ମାତ୍ର ମହା-

ରାଜ ମୋ କର୍ତ୍ତବ୍ୟ ଅନୁସାରେ କରିଛି

ନାମ ଶ୍ୟାମରାସୋତ୍ସବ      ବାରଛାନ୍ଦ ଏ ତାଲବ୍ୟ

ଶକାରେ ବୋଲିଛି ରାସଲୀଳାକୁ ଇଚ୍ଛି

ବିଚକ୍ଷଣା ପନ୍ଦର ଛାନ୍ଦ

ବ ବା ବି ବୁ ବେ ବୈ ବୋ ବୌ କ୍ରମେ ପ୍ରବନ୍ଧ ୭୫

 

ଏ ଉତ୍ତାରୁଁ ପଟ ଲେଖା      ଗୁଣ ତ ଛାମୁରେ ଦେଖା

କରି ଦେଇଅଛି ଥିବ ଦିବ୍ୟାବଧାନେ

କାକଜ ତାଳ ପଲ୍ଲବ       ବାଂଶ କଚକଡ଼ା ଆଭ

ବଉଳ ବୀଜରେ ଲେଖିଅଛି ଯତନେ

ଲୁହା ବାଂଶ ଚିତ୍ର କଲମ

ତିନିଠାରେ ଶକ୍ତି ଜାଣି କରିଛି ଶ୍ରମ ୭୬

 

କି ହେବ ଏ ଗୁଣ ଥାଇ      ଛାମୁରୁ ତ ଦୟା ନାହିଁ

ପରପୁରୁଷେ କି ଯାଇ ଯୁବତୀ କାଳ

ଶଅ ଶଅ ଟଙ୍କା ମୋତେ      କଉଁ ରାଜା ଦେବେ କେତେ

ପ୍ରଭୁ ଥାଉଁ ବିଟପୀ ହେଲିଟି କେବଳ

ଛାମୁଙ୍କୁ ତ ହୋଏ ଏ ଶୋଭା

କି ଗ୍ୟାଁତା କରିବି ଦିବ୍ୟ ଚିତ୍ତେ ଘେନିବା ୭୭

 

ଜାତି ତ ମୋର କରଣ      ଆପଣାର ନିଜ ଗୁଣ

ଜମାଖର୍ଚ୍ଚ କୁହି ପାଞ୍ଚ ପଛେ ପାରଇ

ପାଠ ଭେଜି ଆଜ୍ଞା ହେଲେ       ତହିଁକି ହି ଅଛି ଭଲେ

ଉଦ୍‌ବାର୍ଯ୍ୟ କାର୍ଯ୍ୟକୁ ମାତ୍ର ଭଏ କରଇ

ସରକାରୁ ମୁଁ ଯା ପାଆନ୍ତି

ତୁଛାକଥାରେ କି ବସି ତାହା ଖାଆନ୍ତି ୭୮

 

କରି ପିତୁଳା ପ୍ରବନ୍ଧ      ଲେଖିଲେ ଗୀତଗୋବିନ୍ଦ

ଶହେଟଙ୍କା ସେ ପସନ୍ଦ ମୂଲ୍ୟ ହୋଇବ

ସରକାରେ ଏ ରୂପେ ତ       ପୋଥି ଥିବାର ଉଚିତ

ଛଅଶ କାହାଣ ପ୍ରଭୁ ବର୍ତ୍ତନ ହେବ

ଛାମୁ ନାଏଁ ଛାନ୍ଦ ବୋଲନ୍ତି

କାଳକାଳକୁ ତ ରହିଥାନ୍ତା କୀରତି ୭୯

 

ସଭାରେ ଏ ସଭାଗୀତ       ପଢନ୍ତେଣ ନରନାଥ

ଆବର ଜନ ସମସ୍ତ ଆନନ୍ଦ ହେଲେ

ହୁକୁମ ଦେଲେ ଏଥର      ଯେତେକ ଖର୍ଚ୍ଚ ତୁମ୍ଭର

ଦିଆଯିବ ଖଞ୍ଜାପର ଜଣାଣ ବେଳେ

ଶହେଟଙ୍କା ନଗଦ ଦେଲେ

ବ୍ରଜନାଥ ବଡ଼ଜେନା ଏସଭା ବୋଲେ ୮୦